SURYASNATA TRIPATHY GETS SOA YUVA SAHITYA AWARD
SURYASNATA TRIPATHY GETS SOA YUVA SAHITYA AWARD
ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ ଭୁବନେଶ୍ୱର, ନଭେମ୍ବର ୩୦: ସମାଜରେ ଯଦି ଜନଜାତି ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରାଯାଏ ତେବେ ବର୍ତମାନ ସମାଜରେ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ରବିବାର କହିଛନ୍ତି ବିଶିଷ୍ଟ ସାନ୍ତାଳୀ ଲେଖିକା ଶ୍ରୀମତି ଦମୟନ୍ତୀ ବେସ୍ରା । ଜନଜାତି ସଂସ୍କୃତିରେ ଯୌତୁକ ପ୍ରଥା ନାହିଁ ଏବଂ ମହିଳାଙ୍କୁ ଆଦିବାସୀ ସମାଜରେ ଅନେକ ସମ୍ମାନ ପ୍ରଦାନ କରାଯାଏ ବୋଲି ତୃତୀୟ ସୋଆ ସାହିତ୍ୟ ଉତ୍ସବର ଦ୍ୱିତୀୟ ଦିନରେ ନିଜ ବକ୍ତବ୍ୟରେ କହିଛନ୍ତି ପଦ୍ମଶ୍ରୀ ପୁରସ୍କାର ବିଜେତା ଶ୍ରୀମତି ବେସ୍ରା । ଓଡ଼ିଶାର ଜନଜାତି ସମ୍ପ୍ରଦାୟ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିଥାନ୍ତି ଏବଂ ଓଡ଼ିଶାର ସଂସ୍କୃତି ଆଦିବାସୀମାନଙ୍କର ଜୀବନଶୈଳୀର ଅନୁଶୀଳନ ବୋଲି ଶ୍ରୀମତି ବେସ୍ରା କହିଛନ୍ତି । ଜନଜାତି ସମ୍ପ୍ରଦାୟ ତିନି ମୂର୍ତୀ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ତାଙ୍କର ଭଉଣୀ ଦେବୀ ସୁଭଦ୍ରାଙ୍କୁ ଆରାଧନା କରିଥାନ୍ତି । ସାରା ରାଜ୍ୟର ସାନ୍ତାଳ, କନ୍ଧ ଏବଂ ଶବର ସମ୍ପ୍ରଦାୟ ମଧ୍ୟ ତିନି ଠାକୁରଙ୍କୁ ଆରାଧ୍ୟ ଦେବତା ଭାବେ ବିବେଚନା କରିଥାନ୍ତି ବୋଲି ସେ କହିଛନ୍ତି । ଏହି ଅବସରରେ ୬୪ଟି ଜନଜାତି ଭାଷାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଉ ନଥିବାରୁ ଚିନ୍ତା ବ୍ୟକ୍ତ କରିବା ସହ ଏହା ଫଳରେ ଆଦିବାସୀ ପିଲାମାନେ ଏହି ସବୁ ଭାଷାର ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି ବୋଲି ସେ ଉଦ୍ବେଗ ପ୍ରକାଶ କରିଥିଲେ । ସମାରୋହର ଦ୍ୱିତୀୟ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଜରୁରୀ କାର୍ଯ୍ୟବଶତଃ ସେ ଯୋଗ ଦେଇ ପାରିନଥିଲେ । ମୁଖ୍ୟମନ୍ତ୍ରୀ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବାରୁ ସୋଆ ବିଶ୍ୱବିଦ୍ୟାଳୟକୁ ଏକ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ । ନିଜ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଏବଂ ଗୋଟିଏ ଜାତିର ପରିଚୟ ସୃଷ୍ଟି କରିବାରେ ଭାଷାର ଯେତିକି ଭୂମିକା ରହିଛି, ଠିକ ସେମିତି ଭୂମିକା ରହିଛି ଲେଖକଙ୍କର । ସାହିତ୍ୟ ଉତ୍ସବର ପ୍ରସଙ୍ଗ ‘ସଂସ୍କୃତି, ସୃଜନଶୀଳତା ଏବଂ କୃତ୍ରିମ ବୁଦ୍ଧିମତା’କୁ ସମୟ ଉପଯୋଗୀ ବୋଲି କହିବା ସହ ଏହି ଉତ୍ସବରେ ଯୋଗ ଦେଇଥିବା ଲେଖକ, କବି ଓ ବକ୍ତାମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସୋଆର ଏଭଳି ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ ବୋଲି ଶ୍ରୀ ମାଝୀ କହିଥିଲେ । ଚଳିତ ବର୍ଷ ଆରମ୍ଭ କରାଯାଇଥିବା ସୋଆ ଯୁବ ସାହିତ୍ୟ ପୁରସ୍କାର ଯୁବ ସାହିତ୍ୟିକ ଶ୍ରୀ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆ ପୁଚି ନାରଙ୍ଗ’ ନିମନ୍ତେ ପ୍ରଦାନ କରାଯାଇଥିଲା । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଶ୍ରୀ ତ୍ରିପାଠୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଶ୍ରୀ ତ୍ରିପାଠୀଙ୍କୁ ଏକ ରୌପ୍ୟ ଫଳକ, ମାନପତ୍ର, ଉତରୀୟ ଏବଂ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ କରିବା ଅବସରରେ ନିଜ ଭାଷଣରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଆମେ ସମସ୍ତେ ଅସହିଷ୍ଣୁତା, ଆତ୍ମଗର୍ବ ଓ ଆତ୍ମମୁଗ୍ଧତାର ଗୋଲକଧନ୍ଦା ଭିତରୁ ବାହାରିବାର ଆବଶ୍ୟକତା ରହିଛି । ସାହିତ୍ୟ ଏବଂ ଶିକ୍ଷା ହିଁ ସମାଜକୁ ସୁଦୃଢ଼ କରିପାରିବ ବୋଲି ସେ କହିଥିଲେ । ଦୁଇ ଦିନିଆ ସାହିତ୍ୟ ଉତ୍ସବର ମୁଖ୍ୟ ପ୍ରସଙ୍ଗ ଏଆଇ ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଆମ ମଣିଷମାନଙ୍କର ହୃଦୟ ଏବଂ ଭାବାବେଗ ରହିଛି । ତେଣୁ ଏଆଇ ଆମକୁ କବଳିତ କରିପାରିବ ନାହିଁ । ନିଜ ଅଭିଭାଷଣରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଥିଲେ ଯେ ସାହିତ୍ୟ ଏବଂ ସଂସ୍କୃତିକୁ ଅଣଦେଖା କରି କୌଣସି ସମାଜ ଅଗ୍ରଗତି କରିପାରିବ ନାହିଁ । ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆଗ୍ରହକୁ ବୃଦ୍ଧି କରିବା ହିଁ ଏଭଳି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ଓ ଅଧିକ୍ଷକ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ଓ ମୁଖ୍ୟ ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।
ITER RANKED THIRD IN INDIA AMONG TOP ENGINEERING INSTITUTES BY TIMES SURVEY
ITER RANKED THIRD IN INDIA AMONG TOP ENGINEERING INSTITUTES BY
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
ORGAN RETRIEVED FROM BRAIN DEAD PATIENT AT SUM
ORGAN RETRIEVED FROM BRAIN DEAD PATIENT AT SUM




