PATH BREAKING CAR T-CELL THERAPY NOW AVAILABLE AT SUM HOSPITAL
PATH BREAKING CAR T-CELL THERAPY NOW AVAILABLE AT SUM HOSPITAL
ରକ୍ତ କର୍କଟକୁ ପରାସ୍ତ କରିହେବ
ସମ୍ ହସ୍ପିଟାଲରେ ଏବେ ଅଗ୍ରଣୀ କାର ଟି-ସେଲ୍ ଥେରାପି ଉପଲବ୍ଧ
ଭୁବନେଶ୍ୱର, ଅକ୍ଟୋବର ୩: ଓଡ଼ିଶାରେ ରକ୍ତ କର୍କଟ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ ଓ ହେମାଟୋ ଅଙ୍କୋଲଜିକାଲ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅଗ୍ରଣୀ ହସ୍ପିଟାଲ୍ ଭାବେ ପରିଚିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ରେ ଯୁଗାନ୍ତକାରୀ ଚିମେରିକ ଆଂଟିଜେନ୍ ରିସେପ୍ଟର-ଟି ସେଲ୍ (କାର ଟି-ସେଲ) ଥେରାପି ଚିକିତ୍ସା ଉପଲବ୍ଧ ହୋଇଛି।
ଏହି ଅଭିନବ ସେଲ୍ ଓ ଜିନ୍ ଥେରାପି ଦ୍ୱାରା କର୍କଟ ସହ ଲଢ଼ିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲର କ୍ଲିନିକାଲ୍ ହେମାଟୋଲଜି ଆଣ୍ଡ ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଂଟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ ସୂଚନା ଦେଇଛନ୍ତି।
ମୟୁରଭଞ୍ଜ ଜିଲ୍ଲାର ଜଣେ ୧୫ ବର୍ଷୀୟା ଝିଅର ଶରୀରରେ ଏହି ଚିକିତ୍ସା ପ୍ରୟୋଗ କରାଯାଇଥିବା ବେଳେ ଏହା ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛି ବୋଲି ପ୍ରଫେସର ସାମଲ କହିଛନ୍ତି।
ଚିରାଚରିତ କେମୋଥେରାପିରୁ ଭିନ୍ନ ଏହି କାର ଟି-ସେଲ ଥେରାପିରେ ରୋଗୀର ଟି-ସେଲକୁ ଜେନେଟିକାଲି ପରିବର୍ତିତ କରି ଶରୀରର କର୍କଟ କୋଷ ଗୁଡ଼ିକୁ ନଷ୍ଟ କରିବାକୁ ବ୍ୟବହାର କରାଯାଏ।
ଏହି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ରୋଗୀର ନିଜ କୋଷଗୁଡ଼ିକୁ ବ୍ୟବହାର କରାଯାଇ ଅନୁବଂଶିକ ରୂପରେ ଲାବାରୋଟୋରୀରେ ସଂଶୋଧିତ ତଥା ସଂଖ୍ୟା ବୃଦ୍ଧି କରାଯାଇ ପୁଣି ଥରେ ରୋଗୀର ଶରୀରରେ ପ୍ରବେଶ କରଯାଏ। ଏହି କୋଷଗୁଡ଼ିକ କର୍କଟ କୋଷଗୁଡ଼ିକୁ ଚିହ୍ନଟ କରି ନଷ୍ଟ କରିବାରେ ସହାୟକ ହୋଇଥାଏ। ଏହି ଥେରାପି ବିଶ୍ୱ ସ୍ତରରେ ଖୁବ୍ ସଫଳ ହୋଇଥିବା ବେଳେ ବିଶେଷ ଭାବେ ଯେଉଁ ରୋଗୀମାନେ ଚିରାଚରିତ କର୍କଟ ଚିକିତ୍ସା ଓ ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଂଟ ଦ୍ୱାରା ଉପକୃତ ହେଉ ନାହାନ୍ତି ସେମାନଙ୍କ ପାଇଁ ଖୁବ୍ ସହାୟକ ହେଉଛି। ଭାରତରେ ରୋଗୀମାନେ ଏହି ଚିକିତ୍ସା ଦ୍ୱାରା ଉପକୃତ ହୋଇପାରିବେ ବୋଲି ପ୍ରଫେସର ସାମଲ କହିଛନ୍ତି।
ସ୍ୱଦେଶୀ ଜ୍ଞାନ କୌଶଳରେ ଆଇଆଇଟି, ବମ୍ବେ ଏବଂ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ୍ ମିଳିତ ଭାବେ ବିକଶିତ କରିଥିବା କାର ଟି-ସେଲ ଥେରାପିକୁ ଭାରତର ଇମ୍ୟୁନୋଆକ୍ଟ ପକ୍ଷରୁ ନେକ୍ସକାର୧୯ ଭାବେ ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।
ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଂଟ ଭାବେ ଉଭା ହୋଇଥିବା ଏହି ନେକ୍ସକାର୧୯କୁ ଏକ ବର୍ଷ ପୂର୍ବେ ସେଂଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍ସିଓ) ଅନୁମୋଦନ ଦେଇସାରିଥିବା ବେଳେ ଏହି ଥେରାପିର ସୁବିଧା ନେବାରେ ଭାରତୀୟ ରୋଗୀମାନଙ୍କୁ ସୁଯୋଗ ମିଳିଛି ଏବଂ ସେମାନଙ୍କୁ ଆଉ ଚିକିତ୍ସା ପାଇଁ ବିଦେଶକୁ ଯିବାକୁ ପଡ଼ିବ ନାହିଁ ବୋଲି ପ୍ରଫେସର (ଡାକ୍ତର) ସାମଲ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇ କହିଛନ୍ତି ଯେ ଏହି ୧୫ ବର୍ଷୀୟା ବାଳିକାର ଚିକିତ୍ସା ହେଉଛି ପୂର୍ବ ଭାରତରେ ପ୍ରଥମ ସଫଳ କାର ଟି-ସେଲ ଥେରାପି ଚିକିତ୍ସା। ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ନୂତନ ଚିକିତ୍ସା ପଦ୍ଧତି ଓ ଜ୍ଞାନ କୌଶଳକୁ ବ୍ୟବହାର କରିବାରେ ଅଗ୍ରଣୀ ଥିବା ବେଳେ ୭୦ ରୁ ଅଧିକ ବୋନ୍ମ୍ୟାରୋ ପ୍ରତ୍ୟାରୋପଣ ଏବଂ ୧୫୦ ରୁ ଅଧିକ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା କରାଯାଇଥିବା ସେ ସୂଚନା ଦେଇଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ୍ର ଟ୍ରାନ୍ସଫ୍ୟୁଜନ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜା ନନ୍ଦିନୀ କାନୁନ୍ଗୋ ଏବଂ ହେମାଟୋଲଜି ଆଇସିୟୁର ଇନ୍ଚାର୍ଜ ତଥା ଆସୋସିଏଟ୍ ପ୍ରଫେସର (ଡାକ୍ତର) ସନ୍ତୋଷ କୁମାର ସିଂହ ଉପସ୍ଥିତ ଥିଲେ।
ପ୍ରଫେସର ସାମଲ କହିଛନ୍ତି ଯେ ଆମେ ଓଡ଼ିଶାରେ ପ୍ରଥମ ରୋଗୀକୁ ଏହି ଥେରାପି ମାଧ୍ୟମରେ ଚିକିତ୍ସା ପ୍ରଦାନ କରି ବେଶ ଉତ୍ସାହିତ ଅଛୁ। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ରୋଗୀଙ୍କୁ କର୍କଟ ଚିକିତ୍ସାର ଏହି ନୂତନ ପଦ୍ଧତି ପ୍ରଦାନ କରିବା ନେଇ ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ ବୋଲି ସେ କହିଥିଲେ।
ଏହି କାର ଟି-ସେଲ ଥେରାପି ଭବିଷ୍ୟତର କର୍କଟ ଚିକିତ୍ସାର ଦିଗ ନିରୂପଣ କରିବ ବୋଲି କହି ପ୍ରଫେସର ସାମଲ କହିଥିଲେ ଯେଉଁମାନଙ୍କର ବି-ସେଲ ହେମାଟୋଲଜିକାଲ କର୍କଟ ସମସ୍ୟା ଥାଏ ଏବଂ ସେମାନଙ୍କ ନିକଟରେ ଅନ୍ୟ କୌଣସି ଚିକିତ୍ସାର ବାଟ ନଥାଏ ସେମାନଙ୍କ ପାଇଁ ଏହି ଥେରାପି ନୂଆ ଆଶାର ସଂଚାର କରିବ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ରୋଗୀମାନଙ୍କୁ ଅତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ପ୍ରଦାନ କରିବା ନେଇ ଆମେ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି।
ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏହି ନେକ୍ସକାର୧୯ ପ୍ରକ୍ରିୟା ଆରମ୍ଭ କରିବା ଦ୍ୱାରା କେବଳ ଓଡ଼ିଶାରେ ନୁହେଁ ବରଂ ପୂର୍ବ ଭାରତର ଅନେକ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସିବେ । ରୋଗୀମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ କରିବା ଯୋଜନାରେ ଏହି ଥେରାପି ଖୁବ୍ ସହାୟକ ହେବ ବୋଲି ପ୍ରଫେସର ସାମଲ କହିଛନ୍ତି।
RARE TUMOR SUCCESSFULLY REMOVED AT SUM SITALAPALLI CAMPUS
RARE TUMOR SUCCESSFULLY REMOVED AT SUM SITALAPALLI CAMPUS
Narendra Modi comign to Odisha
କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁତୟନ ହେବେ ୧୩୩ ପ୍ଲାଟୁନ



