WORLD WORRIED OVER CLIMATE CHANGE: DIPLOMATS
WORLD WORRIED OVER CLIMATE CHANGE: DIPLOMATS
ଜଳବାୟୁ ପରିବର୍ତନକୁ ନେଇ ସାରା ବିଶ୍ୱ ଏବେ ବିବ୍ରତ ଭୁବନେଶ୍ୱର, ଜୁଲାଇ ୧୦ : ବିଶ୍ୱରେ ବର୍ତମାନ ସଂକଟ ସୃଷ୍ଟି କରିଥିବା ଜଳବାୟୁ ପରିବର୍ତନ ଏବଂ ବିଶ୍ୱ ତାପନର ପ୍ରଭାବକୁ ନେଇ ୮ଟି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ କୂଟନୀତିଜ୍ଞମାନେ ଚିନ୍ତାପ୍ରକଟ କରିବା ସହ ପରିବେଶକୁ ବଂଚାଇବା ନିମନ୍ତେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଛନ୍ତି । ଏହି ବିପଦ ଏବେ ଆମ ଦ୍ୱାରଦେଶରେ । ଏହା ମାନବ ସମାଜ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି ବୋଲି କହିଛନ୍ତି ସ୍ପେନ୍ର ରାଷ୍ଟ୍ରଦୂତ ଶ୍ରୀ ଜୁଆନ୍ ଆନ୍ଟୋନିଓ ମାର୍ଚ ପୁଜୋଲ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ - ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ଶ୍ରୀ ପୁଜୋଲ । ଶ୍ରୀ ପୁଜୋଲଙ୍କ ସମେତ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ପ୍ରତିନିଧିମାନଙ୍କ ମଧ୍ୟରେ ଉରୁଗୁୟେର ରାଷ୍ଟ୍ରଦୂତ ଶ୍ରୀ ଆଲବର୍ଟୋ ଗୁଆନି, ପେରୁର ରାଷ୍ଟ୍ରଦୂତ ଶ୍ରୀ ଜାଭିୟର ପଲିନିଚ, ଏକୁଏଡରର ରାଷ୍ଟ୍ରଦୂତ ଶ୍ରୀ ଫର୍ଣ୍ଣାଣ୍ଡୋ ବୁଚେଲି, ଗୁଏଟେମାଲାର ରାଷ୍ଟ୍ରଦୂତ ଶ୍ରୀ ଓମାର କାଷ୍ଟାନେଡା ସୋଲାରେସ, ଇଟାଲୀର ରାଷ୍ଟ୍ରଦୂତ ଶ୍ରୀ ଆନ୍ଟୋନିଓ ବାର୍ଟୋଲି ସିଚେଲସର ହାଇକମିସନର ଶ୍ରୀମତି ଲାଲାଟିଆନା ଆକୋଚେ ଓ ଗାୟାନା ହାଇକମିଶନଙ୍କ ପ୍ରତିନିଧି ଶ୍ରୀ କେଶଭ ତିୱାରୀ । କାର୍ଯ୍ୟକ୍ରମରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ନିଜର ଅଭିଭାଷଣ ରଖିଥିବା ବେଳେ ସୋଆ କୁଳପତି ଦାୟିତ୍ୱରେ ଥିବା ଉପକୁଳପତି ପ୍ରଫେସର ନୀତା ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜୀତ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲଜି (ଆଇଆଇଟିଏମ୍), ଇସ୍ରୋ ଏବଂ ଆଇଆଇଟି ଭଳି ଭାରତର ଶ୍ରେଷ୍ଠ ଅନୁଷ୍ଠାନଗୁଡ଼ିକରୁ ୧୭ ଜଣ ବୈଜ୍ଞାନିକ, ଗବେଷକ, ଶିକ୍ଷାବିତ୍ ଓ ବିଶେଷଜ୍ଞ ଯୋଗ ଦେଇ ବିଭିନ୍ନ ପର୍ଯ୍ୟାୟରେ ଜଳବାୟୁ ପରିବର୍ତନ ପ୍ରସଙ୍ଗରେ ବକ୍ତବ୍ୟ ରଖିବେ ବୋଲି ବିଶିଷ୍ଟ ପରିବେଶବିତ୍ ତଥା ସୋଆର ଡିଷ୍ଟିଙ୍ଗୁଇସ୍ଡ ପ୍ରଫେସର ଉମା ଚରଣ ମହାନ୍ତି ନିଜ ଅଭିଭାଷଣରେ କହିଥିଲେ । ସିଚେଲସର ହାଇକମିସନର ଶ୍ରୀମତି ଆକୋଚେ ନିଜ ବକ୍ତବ୍ୟରେ କହିଥିଲେ ଯେ ତାଙ୍କ ଦେଶ ଆଫ୍ରିକାର ଏକ ଛୋଟ ଦ୍ୱୀପ ଦେଶ ହୋଇଥିବା ବେଳେ ଏହା ଜଳବାୟୁ ପରିବର୍ତନର ଗଭୀର ପ୍ରଭାବ ଅନୁଭବ କରୁଛି । ସମୂଦ୍ର ପତନ ବୃଦ୍ଧି, ଉପକୂଳ କ୍ଷୟ ଏବଂ ପାଣିପାଗର ବିପର୍ଯ୍ୟୟ ସ୍ଥିତି ଯୋଗୁଁ ଏହା ଦେଶର ଅର୍ଥନୀତି ବିଶେଷ କରି ପର୍ଯ୍ୟଟନ ଓ ପ୍ରାକୃତିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଉଛି ବୋଲି ଶ୍ରୀମତି ଆକୋଚେ କହିଛନ୍ତି । ଯଦିଓ ସିଚେଲସର ବିଶ୍ୱରେ ଉଦ୍ଭବ ହୋଇଥିବା ଏହି ସମସ୍ୟାରେ କୌଣସି ଭାଗିଦାରୀ ନାହିଁ ତଥାପି ଏହାର ପ୍ରଭାବ ଯୋଗୁଁ ଏହା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବୋଲି ସେ କହିଛନ୍ତି । ଶ୍ରୀମତି ଆକୋଚେଙ୍କ ମତ ସହ ସ୍ୱର ମିଳାଇ ଶ୍ରୀ ତିୱାରୀ କହିଥିଲେ ଯେ ଯେଉଁ ଦେଶମାନେ ଜଳବାୟୁ ପରିବର୍ତନ କ୍ଷେତ୍ରରେ କୌଣସି ସମସ୍ୟା ସୃଷ୍ଟି କରୁ ନାହାନ୍ତି ସେହିମାନେ ହିଁ ସବୁଠାରୁ ବେଶୀ ପ୍ରଭାବିତ ହେଉଛନ୍ତି । ମାତ୍ର ୮ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ଦେଶ ଗାୟେନା ପରିବେଶକୁ ସୁରକ୍ଷା ଦେବା ନିମନ୍ତେ ସ୍ୱତନ୍ତ୍ର ନୀତି ଅବଲମ୍ବନ କରିବାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହି ଦେଶକୁ ଗ୍ରୀନ ସୁପର ପାୱାର ଭାବେ ପରିଗଣିତ କରାଯାଉଥିବା ସେ କହିଥିଲେ । ଶ୍ରୀ ମହାପାତ୍ର କହିଥିଲେ ଯେ ମଣିଷର ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ନିର୍ଗତ ଗ୍ରୀନ୍ ହାଉସ ଗ୍ୟାସ ହିଁ ବର୍ତମାନର ପରସ୍ଥିତି ପାଇଁ ଦାୟୀ ଏବଂ ଏହାର ପ୍ରଭାବରେ ପ୍ରାକୃତିକ ବିପର୍ଯ୍ୟୟ ସମସ୍ୟା ସୃଷ୍ଟି ହେଉଛି । ଜଳବାୟୁ ପରିବର୍ତନର ପ୍ରଭାବ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି । ଉଚ୍ଚ ତାପମାତ୍ରା ଯୋଗୁଁ ୬ ରୁ ୧୦ ପ୍ରତିଶତ କୃଷି ଉତ୍ପାଦନ ହ୍ରାସ ପାଉଛି । ସେହିପରି ଏହାର ପ୍ରଭାବରେ ମତ୍ସ୍ୟଚାଷ ପ୍ରଭାବିତ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଂଚଳ ଗୁଡ଼ିକରେ ଆଗୁଆ ବିପଦ ସୂଚନା ଦେବା ବ୍ୟବସ୍ଥାର ଆବଶ୍ୟକତା ଥିବା ଶ୍ରୀ ମହାପାତ୍ର କହିଥିଲେ । ଶ୍ରୀ ପୁଜୋଲ କହିଥିଲେ ଯେ ମାନବକୃତ କାର୍ଯ୍ୟଗୁଡ଼ିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଉଥିବା ବେଳେ ଏହା ଯୋଗୁଁ ସମୂଦ୍ରର ପତନ ୧୯୦୦ ମସିହା ଠାରୁ ୨୦ ସେମି ବୃଦ୍ଧି ପାଇଛି । ସେହିପରି ଦେଶଗୁଡ଼ିକ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ୨୦୫୦ ସୁଦ୍ଧା ସ୍ପେନ୍ କାର୍ବନ୍ ନ୍ୟୁଟ୍ରାଲିଟି ହାସଲ କରିବା ନେଇ ନିଷ୍ପତି ନେଇଥିବା ବେଳେ ଜଳବାୟୁ ପରିବର୍ତନ ଭଳି ସମସ୍ୟାର ସମ୍ମୁଖୀନ କରିବା ପାଇଁ ୟୁରୋପୀୟ ଦେଶଗୁଡ଼ିକ ନେଉଥିବା ପଦକ୍ଷେପକୁ ସ୍ପେନ୍ ସମର୍ଥନ କରୁଛି ବୋଲି ଶ୍ରୀ ପୁଜୋଲ କହିଥିଲେ । ସେ କହିଥିଲେ ଯେ ମଣିଷର ସମସ୍ୟାର ସମାଧାନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଇନ୍କ୍ୟୁବେଟର ଭାବେ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉଚିତ୍ । ଇଟାଲୀର ରାଷ୍ଟ୍ରଦୂତ ଶ୍ରୀ ବାର୍ଟୋଲି କହିଥିଲେ ଯେ ନିକଟରେ ଟେକ୍ସାସ୍ରେ ଦେଖାଦେଇଥିବା ବନ୍ୟା ଅନପେକ୍ଷିତ ଭାବେ ଧ୍ୱଂସ ସାଧନ କରିଥିଲା । ମଣିଷ ବୈଷୟିକ ସ୍ତରରେ ଯେତେ ଉନ୍ନତି କଲେ ମଧ୍ୟ ପ୍ରକୃତି ଉପରେ ତାହାର ନିୟନ୍ତ୍ରଣ ନାହିଁ । ପେରୁର ପ୍ରତିନଧି ଶ୍ରୀ ପଲିନିଚ କହିଥିଲେ ଯେ ତାଙ୍କ ଦେଶରେ ଜଳର ମୁଖ୍ୟ ସୂତ୍ର ବରଫ ଗ୍ଲେସିଅର୍ର ୭୧ ପ୍ରତିଶତ ତରଳିବାକୁ ଲାଗିଛି । ଏହା ବରଫ ନୁହେଁ ବରଂ ଆମର ଭବିଷ୍ୟତ ତରଳିବାକୁ ଲାଗିଛି ବୋଲି ସେ କହିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
IMS AND SUM HOSPITAL WINS TOP PRIZE FOR INNOVATIVE STUDY ON DIABETES
IMS AND SUM HOSPITAL WINS TOP PRIZE FOR INNOVATIVE STUDY
SOA HOSTS ONE-DAY THE ODISHA REGIONAL CONCLAVE
SOA HOSTS ONE-DAY THE ODISHA REGIONAL CONCLAVE
UTERINE ARTERY EMBOLISATION CONDUCTED ON OBESE PATIENT AT SUMUM
UTERINE ARTERY EMBOLISATION CONDUCTED ON OBESE PATIENT AT SUMUM



